ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ୨ହଜାର ଛାତ୍ର ଛାତ୍ରୀ ରୂପରେ ପରୀକ୍ଷା ଦେଉଥିଲେ। ଆଗ୍ରାସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ସହ ଜଡିତ ୩ଟି କଲେଜରେ ଏହି ସ୍କାମ ଚାଲିଥିବା ବେଳେ ଏହାର ପର୍ଦ୍ଦାଫାସ ହୋଇଛି। କପି କରିବା ପାଇଁ ଏପରି କରାଯାଇଥିବା ସନ୍ଦେହ କରାଯାଉଛି।
ବିଶ୍ୱବିଦ୍ୟାଳୟ ପରୀକ୍ଷାର ନିୟନ୍ତ୍ରକ ଓମ ପ୍ରକାଶ କହିଛନ୍ତି ଯେ, ମେଜର ଅଙ୍ଗଦ ସିଂ ମହାବିଦ୍ୟାଳୟ, ମୌନପୁରର ଏସବିଡି କଲେଜ ଅଫ୍ ସାଇନ୍ସ ଆଣ୍ଡ ଏଜୁକେସନ ଏବଂ ମଥୁରାର ଗୁଲକାଣ୍ଡି ଲାରାମ ମହାବିଦ୍ୟାଳୟରେ ଏହି ସ୍କାମ ହୋଇଛି। ଏହି ୩ଟି ଘରୋଇ କଲେଜକୁ ସ୍ୱ-କେନ୍ଦ୍ର ଭାବରେ ନାମିତ କରାଯାଇଥିଲା। ତେବେ ୟୁନିଭରସିଟି ନିୟମ ଅନୁସାରେ, ଯେଉଁ କଲେଜରେ ଅଧିକ ସଂଖ୍ୟକ ଛାତ୍ରୀ ଥିବେ ସେହି କଲେଜରେ ହିଁ ସେଣ୍ଟର ହୋଇପାରିବ। ଏହି କଲେଜଗୁଡ଼ିକରେ ନିଜସ୍ୱ କର୍ମଚାରୀଙ୍କୁ ଇନଭିଜିଲେଟର ଭାବରେ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି।